Pages

Smile ! You're at Bishwajeeban Blog

Thursday, October 13, 2016

'ନିରବ ଦ୍ରଷ୍ଟା !'

ଦିନ ଦି' ପହର ! ବୁଦ୍ଧିଆ ନନା ଗାଁ ମୁଣ୍ଡ ବରଗଛ ତଳେ ଗାମୁଛା ପାରି ଛାଇ ନିଦରେ ଗଡ଼ପଡ଼ ହଉଛି | ଟିକେ ଥକା ମେଣ୍ଟିଗଲା ପରେ ପୁଣି ବିଲକୁ ଯିବ ମାଟିରେ ମାଟି ହବ ଦି ଓଳିର ଦାନା ପାଇଁ | ଏପଟୁ ଶୂନଗାଡି ଚଢି ଦଳ ଦଳ ହୋଇ ପଶି ଆସୁଛନ୍ତି ପଲେ ଲୋକ | ମୁଁ ଏ ଚେହେରାଗୁଡାକୁ ତ ଆଗରୁ କେବେ ଦେଖିନି ! କିଏ ଏ ମାନେ ! କାହିଁକି ଆସିଛନ୍ତି ? ଆରେ ଏ କଣ ! ଦଳର ମୁଖିଆ ନନାଙ୍କ ପାଖରେ ହିଁ ନିଜ ବାହନରୁ ଓଲ୍ହେଇପଡ଼ିଲେ | ଓହୋଃ ଦେଖ ଦେଖ ! ମୁଖିଆଙ୍କୁ ଦେଖାଦେଖି ଅନୁଗତମାନେ ବି ଝୀଂଟିକା ଭଳି ଖପ ଖାପ ନିଜ ନିଜର ଯାନରୁ ଡେଇଁ ପଡୁଛନ୍ତି | | ଆହା ହା ! କି ଅପୂର୍ବ ଦୃଶ୍ୟ ! କି ଅଭୂତପୂର୍ବ ଭକ୍ତି ! ମୁଖିଆ ତ ସିଧା ସଳଖ ଯାଇ ବୁଦ୍ଧିଆ ନନାର ଗୋଡ ଥାପିବା ଆରମ୍ଭ କଲେଣି | ମୁଁ ଖୁସି, ଯାହା ହେଉ ନନାର ହାଲିଆ ଗୋଡ ଦିଟାକୁ ଆରାମ ଟିକେ ମିଳିବ | ହେଇ, ନନାଙ୍କ ନିଦ ଭାଙ୍ଗି ଗଲା | ଉଠିକି ବସିଲେ | ଶୂନ-ଗାଡି ଦଳର ମୁଖିଆ ଯୋଡ ହସ୍ତରେ ନମସ୍କାର କରୁଛନ୍ତି | ନନାଙ୍କୁ କ'ଣ କ'ଣ ବଖାଣି ଯାଇ ବାରମ୍ବାର ନମସ୍କାର କରି ପକଉଛନ୍ତି | ବୋଧ ହୁଏ ଭାରି ଦରଦୀ ମଣିଷଟିଏ ! ସତେ ଯେପରି ନନାର ବର୍ଷ ବର୍ଷର ଯନ୍ତ୍ରଣା ଆଜି ଗୋଟିଏ ଦିନରେ ହିଁ ହରି ନେଇଯିବେ ! ଏମିତିଆ ଦି' ଚାରିଟା ମଣିଷ ଯଦି ମିଳନ୍ତେ ନା ପୃଥିବୀଟା ତ ପୁରା ସ୍ୱର୍ଗ ପାଲଟି ଯାଆନ୍ତା ! ଏଭଳି ଧର୍ମ ଧୂରନ୍ଧର ମାନେ ଆଉ କିଛି ସମୟ ରହନ୍ତେ କି ! ଏମାନଙ୍କ ଦେହର ପବନ ବାଜି ମୁଁ ବି ଆଉ ଟିକେ ଅଧିକ ଧନ୍ୟ ହେଇଯାନ୍ତି ! ହା-ତ-ତେରିକା ଚାଲିଗଲେ ସବୁ... ଆଉ ଟିକେ ମନ ଭରି ଦେଖିଥାନ୍ତି ମ ସମସ୍ତଙ୍କୁ.. ମନୁଆଟା ମୁଁ | ନିଶ୍ୱାସ ନ ନେଇ କ'ଣ ଏକାଥରେ ଏତେ କଥା ଭାବନ୍ତି ? ଏତେ ଧାଡି ଭାବିବା ଭିତରେ ସେମାନେ କ'ଣ ଆଉ ଥା'ନ୍ତେ ? ହଉ ଛାଡ! କୁଆଡେ ଗଲେ ମୋ' ନନା | ହଁ ହଁ ସେଇଠି ! ଦେଖା ଗଲେ | ଧଡପଡ ହୋଇ ବିଲ ଆଡେ ମୁହାଁଇଛନ୍ତି | ଆଉ ସେପଟୁ ଏମାନେ ପୁଣି କିଏ ? ଗାନ୍ଧୀଜୀଙ୍କ ଦାଣ୍ଡୀ ଯାତ୍ରା ଭଳି ପଦ ଯାତ୍ରାରେ ଆଉ ଏକ ଦଳ !!! ହେଲେ ଏମାନେ ଲୁଣ-ସତ୍ୟାଗ୍ରହର ନକଲ କଣ ପାଇଁ କରୁଛନ୍ତି ? ଗାଁ ଭିତରକୁ ପଶିଗଲେ | ହଉ ଯାଆନ୍ତୁ |
.........
ସୂର୍ଯ୍ୟ ପଶ୍ଚିମ ଆକାଶରେ ବୁଡ଼ିଗଲେ | ସନ୍ଧ୍ୟା ହେଲା | ବୁଦ୍ଧିଆ ନନା, ମଣି ଭାଇନା ସହ ଫେରିଲେ| ମୋ ପାଖେ ବସି, କିଛି ସମୟ ଦୁଃଖ -ସୁଖ ହୋଇ ଘରକୁ ଚାଲିଗଲେ | ମନ ଦେଇ ସବୁ କଥା ଶୁଣିଲି | ତାଙ୍କ ଯିବା ପରେ ମୁଁ ଏବେ ଜାଣି ପାରୁନି କାନ୍ଦିବି କି ହସିବି ?
"ସବୁ ମିଛ ! ସବୁ ନାଟକ ! 'ସତ'ର ସତ୍ତା କାଇଁ ? ସ୍ୱାର୍ଥର ମରୁଭୂମିରେ 'ସତ' ଏକ 'ମରୀଚିକା' ! ମୁଁ ଯାହା ଆଖିରେ ଦେଖୁଛି, କାନରେ ଶୁଣୁଛି, ସେଥିରେ ବି ମୋ' 'ସତ' ଆଉ ନାହିଁ | 'ବିଶ୍ୱାସ' ବଡ 'ମହଙ୍ଗା' ଏଠି 'ଛଳନା' ଭାରି 'ଶସ୍ତା' ! ଜାତି, ଧର୍ମ, କର୍ମ ନାଆଁ ରେ ଜନତାର ମେରୁଦଣ୍ଡକୁ ଭାଗ ଭାଗ କରିବା ପାଇଁ ଭୋଟ-ଭିକ୍ଷୁମାନେ ଆଜି ବହୁବେଶରେ ବେସ ତତ୍ପର ! ସାବଧାନ! ନିର୍ବାଚନ ଅତି ନିକଟ !"
ହଉ ଚାଲ, ରାତି ବହୁତ ହେଲାଣି ! ଶୋଇ ପଡିବା | କାଲି ସକାଳେ ପୁଣି ଦେଖା ହେବା |
ମୋର ପରିଚୟ ପଚାରୁଛ କି ?
ମୁଁ ଗାଁ ମୁଣ୍ଡର ସେଇ ବୁଢା ବରଗଛ | ସବୁ କିଛିର ନିରବ ଦ୍ରଷ୍ଟା |

No comments:

Labels